ନଗର ନିଗମ ବୈଠକରେ ହଙ୍ଗାମା : କର୍ପୋରେଟର ଦେଖାଇଲେ ଜୋତା, ଆପ୍ ଏବଂ ବିଜେପି ପକ୍ଷରୁ ଥାନାରେ ମାମଲା
28/12/2020 at 10:10 PM

ନୂଆଦିଲ୍ଲୀ ୨୮/୧୨ : ପୂର୍ବ ଦିଲ୍ଲୀ ନଗର ନିଗମ ବୈଠକରେ ଅଭାବନୀୟ ଘଟଣା ଘଟିଛି । ସୋମବାର ୨ ପରିଷଦ ମଧ୍ୟରେ ବିରୋଧ ମଧ୍ୟରେ ବୈଠକ ଚାଲିଥିବା ବେଳେ ହାତାହାତି ହୋଇଥିବା ସୂଚନା ମିଳିଛି । କେବଳ ସେତିକି ନୁହେଁ ମହିଳା କର୍ପୋରେଟରଙ୍କ ମଧ୍ୟରେ ଜୋତା ଏବଂ ଚପଲ ଫିଙ୍ଗାଫିଙ୍ଗି ହୋଇଥିବା ସୂଚନା ମଧ୍ୟ ମିଳିଛି ।
ସୂଚନା ଅନୁସାରେ ବୈଠକ ଆରମ୍ଭରୁ ଆମ ଆଦମୀ ପାର୍ଟିର କର୍ପୋରେଟରମାନଙ୍କ ପକ୍ଷରୁ ଚାଷୀ ଆନ୍ଦୋଳନ ସମୟରେ ଯେଉଁ ଚାଷୀମାନଙ୍କର ମୃତ୍ୟୁ ଘଟିଛି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା । ବୈଠକ ସମୟରେ ବିପକ୍ଷ ନେତା ମନୋଜ ତ୍ୟାଗୀ ମୃତକ ଚାଷୀମାନଙ୍କ ପାଇଁ ଶୋକ ପ୍ରସ୍ତାବ ରଖୁଥିଲେ । ଯାହାକୁକି କ୍ଷମତା କଳରେ ଥିବା କର୍ପୋରେଟରମାନେ ବିରୋଧ କରିଥିଲେ ।

ଏହା ପରେ ଦୁଇ ପକ୍ଷ ମଧ୍ୟରେ ଜୋରଦାର ହଙ୍ଗାମା ହୋଇଥିଲା । ଉତ୍ତର ନଗର ନିଗମରେ ୨୫୦୦କୋଟି ଟଙ୍କାର ଘୋଟାଲା ଅଭିଯୋଗରେ ଆପ କର୍ପୋରେଟରମାନେ ହଙ୍ଗାମା କରିଥିଲେ । ଅନ୍ୟ ପଟେ ବିଜେପିର କର୍ପୋରେଟରମାନେ ୧୩ ହଜାର କୋଟିର ବକେୟା ଫଣ୍ଡକୁ ନେଇ ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ଏହା ପରେ ଉଭୟ ପକ୍ଷ ମଧ୍ୟରେ ଜୋରଦାର ହଙ୍ଗାମା ହେବା ସହ ହାତାହାତି ମଧ୍ୟ ହୋଇଥିଲେ ।
୨ ପକ୍ଷ ମଧ୍ୟରେ କଥା କଟାକଟି ଏବଂ ଜୋତା ଫିଙ୍ଗାଯାଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ବିଜେପି ସଦସ୍ୟା ନୀତୁ ତ୍ରିପାଠୀ ଜୋତା ଦେଖାଉଥିବା ଭିଡିଓ ଭାଇରାଲ ହୋଇଛି । ଏଭଳି ଅପ୍ରୀତିକର ପରିସ୍ଥିତିକୁ ଦେଖି ପୂର୍ବ ଦିଲ୍ଲୀର ମେୟର ନିର୍ମଳ ଜୈନ ବିରୋଧି ଦଳ ନେତା ତଥା ଆପ କର୍ପୋରେଟର ମନୋଜ କୁମାର ତ୍ୟାଗି ଏବଂ ଆପର ଅନ୍ୟ ଜଣେ କର୍ପୋରେଟର ମୋହିନୀ ଜୀନଓ୍ବାଲଙ୍କୁ ୧୫ ଦିନ ପାଇଁ ନିଲମ୍ବନ କରିଛନ୍ତି ।
ଦିଲ୍ଲୀର ପଟପଡଗଞ୍ଜ ପୋଲିସ ଷ୍ଟେସନରେ ବିଜେପି କାଉନସିଲର ବିପିନ ବିହାରୀ ସିଂ, ସନ୍ତୋଷ ପାଲ ଏବଂ କାହ୍ନେୟା ଲାଲଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟିର ୩ କାଉନସିଲର ମନୋଜ କୁମାର ତ୍ୟାଗୀ, ଗୀତା ରାୱତ ଏବଂ ମୋହିନୀ ଜୀନୱାଲ ମାମଲା ରୁଜୁ କରିଛନ୍ତ । ଅଭିଯୋଗରେ ୩ ବିଜେପି କାଉନସିଲରଙ୍କୁ ମାଡ ମାରିବା, ଠେଲାପେଲା କରିବା ଏବଂ ଗାଳିଗୁଲଜ କରିବା ଅଭିଯୋଗରେ ଏଫ୍ଆଇଆର୍ ରୁଜୁ କରିବାକୁ ଦାବି କରାଯାଇଛି । ଏଥିସହିତ ବିଜେପି ପକ୍ଷରୁ ମଧ୍ୟ କର୍ପୋରେଟର ସଦନ ପ୍ରବେଶ ଶର୍ମାଙ୍କ ଦ୍ବାରା ୨ ଜଣ ଆଦମୀ ପାର୍ଟି କର୍ପୋରେଟର ମନୋଜ କୁମାର ତ୍ୟାଗି ଏବଂ ମୋହିନୀ ଜୀନୱାଲଙ୍କ ବିରୋଧରେ ପଟପଡଗଞ୍ଜ ଥାନାରେ ଦୁର୍ବ୍ୟବହାର ଓ ଗାଳିଗୁଲଜ ମାମଲା ରୁଜୁ କରାଯାଇଛି