କରୋନା: ସତ ଲୁଚାଇବାକୁ ଚାହୁଁଛି ଚୀନ ? ରିସର୍ଚ୍ଚ ଡାଟା ପ୍ରକାଶନକୁ ବ୍ରେକ୍ ଦେଲେ ଜିନପିଙ୍ଗ
13/04/2020 at 7:03 PM

ହଂକଂ ୧୩।୦୪: କୋଭିଡ୍-୧୯ ମହାମାରୀ ଚୀନରେ କେମିତି ବ୍ୟାପିଲା ? ନୋଭେଲ୍ କରୋନା ଭାଇରସ୍ର ଉତ୍ପତ୍ତିସ୍ଥଳ କେଉଁଠି ? ଏହାକୁ ନେଇ ଚୀନ ଓ ଆମେରିକା ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାଇରସ୍କୁ ଚୀନୀ ଭାଇରସ୍ କହିବାରୁ ଆମେରିକା ଓ ଚୀନ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଚୀନ ଓଲଟା ଭାଇରସ୍ର ଉତ୍ପତ୍ତି ସ୍ଥଳ ଆମେରିକା ଏବଂ ଏହାର ମିଲିଟାରୀ ହିଁ ଉହାନ ନେଇ କି ଆସିଥିବା ଚୀନୀ ପ୍ରଶାସନ ଆରୋପ ଲଗାଇଛି।
ଚୀନକୁ ହୃଦବୋଧ ହୋଇଛି ଯେ, ଦୁନିଆ ତାକୁ କେଉଁଠି ନା କେଉଁଠି କରୋନା ଭାଇରସ୍ ମାମଲାରେ ସନ୍ଦେହ ଦୃଷ୍ଟିରେ ଦେଖୁଛି। ଏଥିପାଇଁ ଚୀନ ନୋଭେଲ୍ କରୋନା ଭାଇରସ୍ର ଉତ୍ପତ୍ତିସ୍ଥଳ ସହ ସମ୍ବନ୍ଧିତ ସଂସ୍ଥାଗତ ଗବେଷଣାର ପ୍ରକାଶନ ଉପରେ ରୋକ୍ ଲଗାଇଛି। ଏହା ସହିତ ଦୁଇଟି ୟୁନିଭର୍ସିଟିକୁ ମଧ୍ୟ ନୋଟିସ୍ ଜାରି କରିଛି। କିନ୍ତୁ ପରେ ଏହି ଅନଲାଇନ୍ ନୋଟିସ୍କୁ ମଧ୍ୟ ଚୀନ ଡିଲିଟ୍ କରି ଦେଇଛି।

ନୂତନ ନୀତି ଆଧାରରେ କୋଭିଡ୍ ୧୯ ସମ୍ବନ୍ଧିତ ସମସ୍ତ ଏକାଡେମିକ ପେପରର ପୁନଃନୀରିକ୍ଷଣ କରାଯିବ ଏବଂ ଏହା ପରେ ଯାଇ ପ୍ରକାଶନ କରାଯିବ। ଭାଇରସ୍ର ଉତ୍ପତ୍ତିସ୍ଥଳ ସଂପର୍କିତ ଅଧ୍ୟୟନକୁ ମଧ୍ୟ ଯାଞ୍ଚ କରାଯିବ। ଏହା ପରେ ସରକାରୀ ଅଧିକାରୀଙ୍କଠୁ ମଞ୍ଜୁରୀ ମିଳିବା ପରେ ଯାଇ ପ୍ରକାଶ କରାଯିବ ବୋଲି ଚୀନ କହିଛି।
କରୋନା ଉପରେ କିଛି ଲୁଚାଉଛି ଚୀନ
କଣ ଚୀନ ସରକାର କରୋନା ଭାଇରସ୍ର ସତ୍ୟତା ଲୁଚାଇବାକୁ ଚାହୁଁଛନ୍ତି। ରିସର୍ଚ୍ଚ ପେପରର ପ୍ରକାଶନକୁ ନେଇ ଯେଉଁ ଭଳି ନୂତନ ଓ କଡା ନିୟମ ଲଗାଯାଇଛି ସେଥିରୁ ଏହା ଜଣା ପଡୁଛି ଯେ, କିଛି ତ ରହସ୍ୟ ଅଛି, ଯାହା ଦୁନିଆ ସାମ୍ନାକୁ ଆସିଲେ ଚୀନ ହରଡଘଣାରେ ପଡିବ। ସେଥିପାଇଁ ସି ଚିନପିଙ୍ଗ ସରକାର ପ୍ରକାଶନ ଉପରେ ରୋକ୍ ଲଗାଇଛନ୍ତି।
ଅଦ୍ୟାବଧି ଦୁନିଆରେ ମୋଟ୍ ୧୮ ଲକ୍ଷ ୬୫ ହଜାର ୯୭୯ କରୋନା ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୧୫ ହଜାର ୨୨୪ ଜଣଙ୍କ ମୃତ୍ୟୁ ଘଟିଛି। ୪ ଲକ୍ଷ ୩୩ ହଜାର ୯୧୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି।

ଭାଇରସ୍ର ଉତ୍ପତ୍ତିସ୍ଥଳ ଉପରେ ବିବାଦ
କରୋନାର ପ୍ରଥମ କେସ୍ ଡିସେମ୍ବରରେ ଉହାନରୁ ସାମ୍ନାକୁ ଆସିଥିଲା। କୁହାଯାଇଥିଲା ଯେ, ଉହାନର ସି ଫୁଡ୍ ମାର୍କେଟରୁ କରୋନା ବ୍ୟାପିଥିଲା। ଚୀନ ଓ ପଶ୍ଚିମ ଦେଶର ବୈଜ୍ଞାନିକଙ୍କ କହିବା କଥା ବାଦୁଡିରୁ ହିଁ କରୋନା ଭାଇରସ୍ର ଉତ୍ପନ ହୋଇଛି, ଯାହା ମଣିଷଠୁ ମଣିଷକୁ ବ୍ୟାପିଥାଏ। ଏହା ପରେ ଚୀନ ସାମାଜିକ ଗଣମାଧ୍ୟମରେ ଏହାର ଉତ୍ପତ୍ତିସ୍ଥଳକୁ ନେଇ ପ୍ରଶ୍ନ ଉଠିଥିଲା।
ଚୀନ ବୈଦେଶିକ ମନ୍ତ୍ରଣାଳୟ ଏହାର ଜନ୍ମ ଆମେରିକାରେ ହୋଇଥିବା ଏବଂ ଆମେରିକୀ ମିଲିଟାରୀ ହିଁ ଚୀନରେ ଏହାକୁ ପ୍ରସାର କରିଥିବା କହିଥିଲା। ଅନ୍ୟପଟେ ଆମେରିକାର ଗୁଇନ୍ଦା ଏଜେନ୍ସି ଗତ ନଭେମ୍ବରରେ ପ୍ରକାଶିତ ନିଜର ଏକ ରିପୋର୍ଟରେ ଦାବି କରିଥିଲେ ଯେ, ଚୀନର ଦୁଇ ଜଣ ବୈଜ୍ଞାନିକ ଆମେରିକାର ଅଲଗା ଅଲଗା ବିମାନ ବନ୍ଦରରେ ଧରା ପଡିଥିଲେ। ସେମାନଙ୍କଠାରୁ ସର୍ସ ଓ ମର୍ସ ପରି ଭାଇରସ୍ର ଷ୍ଟ୍ରେନ୍ ଜବତ କରାଯାଇଥିଲା।