Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ର ସରକାରଙ୍କ ଦ୍ବାରା ଜାତୀୟ ଶିକ୍ଷାନୀତି -୨୦୧୯ର ଖସଡ଼ା ପ୍ରସ୍ତୁତ

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ଦ୍ବାରା ଜାତୀୟ ଶିକ୍ଷାନୀତି -୨୦୧୯ର ଖସଡ଼ା ପ୍ରସ୍ତୁତ ହୋଇଛି । ତେବେ ଏଥିରେ ଥିବା ବିଭିନ୍ନ ଦିଗ ଓ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ଶିକ୍ଷାବିତ୍ । ଏହା ଦ୍ବାରା ଗୋଟିଏ ଆଦର୍ଶ ଓ ବିଚାରଧାରାକୁ ଜବରଦସ୍ତି ଛାତ୍ରଛାତ୍ରୀଙ୍କ ଉପରେ ଲଦିଦେବାକୁ ପ୍ରୟାସ କରାଯାଛି ବୋଲି କିଛି ଶିକ୍ଷାବିତ୍ ଅନୁଭବ କରୁଥିବା ବେଳେ ଆଉ କିଛି ଶିକ୍ଷାବିତ୍ଙ୍କ ମତରେ ଏଭଳି ଶିକ୍ଷାନୀତି ଦୂରଦର୍ଶୀ ଓ ଛାତ୍ରଛାତ୍ରୀଙ୍କୁ କର୍ମସଂସ୍ଥାନ ଯୋଗାଇବାରେ ସହାୟକ ହେବ ।….
୧୯୬୮ ଓ ୧୯୮୬ ପରେ ତୃତୀୟ ଥର ଲାଗି ଜାତୀୟ ଶିକ୍ଷା ନୀତି-୨୦୧୯ ପାଇଁ ଖସଡ଼ା ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । ବରିଷ୍ଠ ବୈଜ୍ଞାନିକ ତଥା ଇସ୍ରୋର ପୂର୍ବତନ ମୁଖ୍ୟ କେ.କସ୍ତୁରିରଙ୍ଗନ୍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ବାରା ଏହି ନୂତନ ଶିକ୍ଷା ନୀତିର ଚିଠା ପ୍ରସ୍ତୁତ ହୋଇଛି । କ’ଣ ରହିଛି ଏହି ନୂଆ ଶିକ୍ଷାନୀତିର ଗୁରୁତ୍ବପୂର୍ଣ୍ଣ ଦିଗ ଚାଲନ୍ତୁ ତା’ ଉପରେ ପ୍ରଥମେ ନଜର ପକାଇବା ।
ଜାତୀୟ ଶିକ୍ଷା ନୀତି-୨୦୧୯ରେ ପ୍ରସ୍ତାବ
୧୦ + ୨ + ୩ ଶିକ୍ଷା ପ୍ରଣାଳୀ ଉଚ୍ଛେଦ ହେବ
ଏହା ବଦଳରେ
୫ + ୩ + ୩ + ୪ + ୪ ଶିକ୍ଷା ପ୍ରଣାଳୀ ଲାଗୁ କରାଯିବ
ଅର୍ଥାତ୍ ନୂଆ ଶିକ୍ଷା ନୀତି ଅନୁସାରେ ଅଙ୍ଗନବାଡିକୁ ମିଶାଇ ଜଣେ ୩ବର୍ଷରୁ ଶିକ୍ଷା ଆରମ୍ଭ କରିବ
୮ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରି ପ୍ରାଇମେରୀ ଠାରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢିବେ
ଏହା ପରେ ୩ବର୍ଷ ଆର୍ଥାତ୍ ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ଲାଟର ପ୍ରାଇମେରୀ କ୍ଲାସ୍ ରହିବ
୩ବର୍ଷ ରହିବ ଅପର ପ୍ରାଇମେରୀ କ୍ଲାସ୍ ଅର୍ଥାତ୍ ଷଷ୍ଠ ,ସପ୍ତମ ଓ ଅଷ୍ଟମ ଶ୍ରେଣୀ
ଏହା ପରେ ନବମ, ଦଶମ ,ଏକାଦଶ ଓ ଦ୍ବାଦଶ ଶ୍ରେଣୀକୁ ନେଇ ରହିବ ସେକେଣ୍ଡାରୀ କ୍ଲାସ୍
ଏହା ପରେ ରହବି ସ୍ନାତକ, ଯାହା ପ୍ରଚଳିତ ୩ବର୍ଷ ପରିବର୍ତ୍ତେ ହେବ ୪ବର୍ଷର ପାଠ୍ୟକ୍ରମ
ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପାସ୍ ଫେଲ୍ ବ୍ୟବସ୍ଥା ରହିବ ନାହିଁ
ସେହିଭଳି ନବମ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାର ସିଷ୍ଟମ୍ ପରୀକ୍ଷା କରାଯିବ
ଏଥିସହ ନବମ ଠାରୁ ଛାତ୍ରଛାତ୍ରୀମାନେ ନିଜ ଇଚ୍ଛା ମୁତାବକ ବିଷୟ ନେଇ ପଢି ପାରିବେ । ଅର୍ଥାତ୍ ଜଣେ ଗଣିତ ସହ ମ୍ୟୁଜିକ୍ ବା ଇତିହାସ ସହ ସ୍ପୋର୍ଟସ ଭଳି ବିଷୟକୁ ମିଶାଇ ପଢିପାରିବେ । ଏହା ଫଳରେ ଯାହାର ଯେଉଁ ବିଷୟରେ ରୁଚି ରହିଛି ସେ ସେହି ହିସାବରେ ନିଜର କ୍ୟାରିୟର ଗଢ଼ିପାରିବ । ହେଲେ କିଛି ଶିକ୍ଷାବିତ୍ଙ୍କ ମତରେ ଏଭଳି ପାଠ୍ୟ ଖସଡା ପାଇଁ ବ୍ୟାପକ ମାନବସମ୍ବଳର ଆବଶ୍ୟକତା ରହିଛି । ଏତେ ସଂଖ୍ୟାରେ ନିଯୁକ୍ତି କଷ୍ଟକର ବ୍ୟାପାର । ଏହା ବ୍ୟତୀତ ନୂତନ ଶିକ୍ଷା ନୀତି ମାଧ୍ୟମରେ ଗୋଟିଏ ଆଦର୍ଶକୁ ଛାତ୍ରଛାତ୍ରୀଙ୍କ ଉପରେ ଲଦି ଦେବା ପାଇଁ ଚେଷ୍ଟା କରାଯାଇଛି ବୋଲି କିଛି ଶିକ୍ଷାବିତ୍ ଅନୁଭବ କରୁଛନ୍ତି ।
ନୂତନ ଶିକ୍ଷାନୀତି ଅନୁସାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହିନ୍ଦୀକୁ ବାଧ୍ୟତାମୂଳକ କରିବା ସହ ଇଂରାଜୀ ଭାଷାକୁ ନ୍ୟୁନ କରିବା ପାଇଁ ପ୍ରୟାସ ହୋଇଛି ବୋଲି ଯୁକ୍ତି ବାଢ଼ିଛନ୍ତି କିଛି ଶିକ୍ଷାବିତ୍ । ଉଚ୍ଚତର ଶିକ୍ଷା ପାଇଁ ନୂତନ ଶିକ୍ଷା ନୀତିରେ ୩ ପ୍ରକାର ଶିକ୍ଷାନୁଷ୍ଠାନର ପ୍ରସ୍ତାବ ଦିଆଯାଇଛି । ପ୍ରଥମଟି ହେଲା ଗବେଷଣା ବିଶ୍ବବିଦ୍ୟାଳୟ । ଯେଉଁଥିରେ ୫ ହଜାରରୁ ୨୫ ହଜାର ପିଲା ପଢିବେ । ଦ୍ବିତୀୟଟି ହେଲା ସାଧାରଣ ବିଶ୍ବବିଦ୍ୟାଳୟ । ଯେଉଁଥିରେ ୫ରୁ ୨୫ ହଜାର ପିଲା ପଢିବେ। ଆଉ ତୃତୀୟଟି ହେଲା ଅଟୋନମସ୍ କଲେଜ୍ । ଯେଉଁଠାରେ ୨ରୁ ୫ ହଜାର ପିଲା ପଢିବେ । ତେବେ ଏଭଳି ବ୍ୟବସ୍ଥା ଲାଗୁ ହେଲେ ବିଭିନ୍ନ ଅଞ୍ଚଳରେ ଥିବା ଛୋଟ ଛୋଟ କଲେଜ୍ ବନ୍ଦ ହେବ । ସେଗୁଡିକ ବଡ ବଡ କଲେଜ୍ ସହ ମିଶିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଏପରି ହେଲେ ଛୋଟ ଛୋଟ ସହରରେ ଥିବା ପିଲାମାନଙ୍କୁ ଶିକ୍ଷା ପାଇଁ ଦୂର ଯାଗାରେ ଥିବା କଲେଜକୁ ଯିବାକୁ ପଡିପାରେ । ତେବେ ନୂତନ ଶିକ୍ଷାନୀତି ଦ୍ବାରା ଭବିଷ୍ୟତ ପିଢୀକୁ କର୍ମନିଯୁକ୍ତି ଯୋଗାଇବା ଓ ସେମାନଙ୍କ ଭିତରେ ଜାତୀୟତାବାଦ୍ ଚିନ୍ତାଧାରା ସୃଷ୍ଟି କରିବା ସମ୍ଭବ ହେବ ବୋଲି ମଧ୍ୟ ମତ ଦେଇଛନ୍ତି କିଛି ଶିକ୍ଷାବିତ୍ ।
ନୂତନ ଶିକ୍ଷାନୀତି ଲାଗୁ ହେଲେ କେବଳ ପ୍ରାଥମିକ ଶିକ୍ଷା ପାଇଁ ଅଧିକ ୫ଲକ୍ଷ ଶିକ୍ଷକ ନିଯୁକ୍ତି କରିବା ଆବଶ୍ୟକ ହେବ । ଏହା ସହ ସାଧାରଣ ପାଠ୍ୟକ୍ରମ ବ୍ୟତୀତ ଧନ୍ଦାମୂଳକ ଶିକ୍ଷା ପାଇଁ ଲକ୍ଷାଧିକ ନିଯୁକ୍ତି କରିବାକୁ ପଡିବ ବୋଲି କୁହାଯାଉଛି ।

256 Views

   ସମ୍ବନ୍ଧିତ ଖବର