କରୋନା ମୃତକଙ୍କ ବାବଦରେ ନୂଆ ତଥ୍ୟ ଦେଲେ ଚୀନ ସରକାର, ଉହାନରେ ୫୦ ପ୍ରତିଶତ ବଢିଲା ମୃତ୍ୟୁସଂଖ୍ୟା
17/04/2020 at 6:24 PM

ବେଜିଂ, ୧୭|୦୪: ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରୁଛି । ଚୀନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭାଇରସ ଏବେ ସୁଦ୍ଧା ୨୧ ଲକ୍ଷରୁ ଅଧିକଙ୍କୁ ଆକ୍ରାନ୍ତ କରିଥିବା ବେଳେ ୧ଲକ୍ଷ ୩୦ ହଜାରରୁ ଅଧିକ ଜୀବନ ନେଇଛି । ତେବେ ଚୀନରୁ ଉହାନ ସହର ହେଉଛି କରୋନା ଭାଇରସର କେନ୍ଦ୍ର । ଏଠାରେ ଦୀର୍ଘଦିନ ପରେ ଲକଡାଉନକୁ ହଟାଯାଇଛି । ଚୀନ ସରକାର ସ୍ଥିତି ସ୍ୱାଭାବିକ ଥିବା ଦାବି କରୁଛନ୍ତି । ଏହା ମଧ୍ୟରେ ଏଠାରେ ଆହୁରି ୧୨୯୦ଜଣ ବ୍ୟକ୍ତି ଏଠାରେ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୪୬୩୨ ଛୁଇଁଛି ।
ଚୀନ ଅଧିକାରୀଙ୍କ କହିବାନୁସାରେ, ଅନେକ ହସ୍ପିଟାଲରୁ ବିଳମ୍ବରେ ରିପୋର୍ଟ ଆସିଛି । କିଛି ରୋଗୀ ଘରେ ପ୍ରାଣ ହରାଇଛନ୍ତି । କାରଣ ଉହାନ ସହରରେ ଅନେକ ହସ୍ପିଟାଲରେ ଆବଶ୍ୟକୀୟ ସୁବିଧା ନଥିଲା । ଫଳରେ ସେମାନେ ହସ୍ପିଟାଲ ଆସିନପାରି ଘରେ ପ୍ରାଣ ହରାଇଥିଲେ । ଏହାର ମୁକାବିଲା ପାଇଁ ସରକାର ତତ୍ପର ଥିଲେ । ତେଣୁ ମୃତ୍ୟୁସଂଖ୍ୟାର ଠିକ ତଥ୍ୟ ମିଳିପାରି ନଥିଲା । ସେହିପରି ଉହାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୫୦,୩୩୩ ।
ତେବେ ଅନେକ ଦେଶର ନେତା ଚୀନ ତଥ୍ୟ ଲୁଚାଉଥିବା ଅଭିଯୋଗ କରିଥିଲେ । ଏପରିକି କରୋନାକୁ ନେଇ ଚୀନ ଭୁଲ ତଥ୍ୟ ଦେଇଥିବାରୁ ସାରା ବିଶ୍ୱରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଥିଲା ବୋଲି ମଧ୍ୟ ଅଭିଯୋଗ ହେଉଛି । ତେବେ ଏହି ସବୁ ଅଭିଯୋଗକୁ ସରକାର ଖଣ୍ଡନ କରିଦେଇଥିଲେ ।
ତେବେ ଏହି ପ୍ରସଙ୍ଗରେ ଚୀନ ଏକା ହୋଇଯାଇଛି । ଆମେରିକା, ବ୍ରିଟେନ, ଫ୍ରାନ୍ସ ଆଦି ଦେଶ ଚୀନକୁ ବିଶ୍ୱାସ କରୁନାହାଁନ୍ତି । ତେବେ ଋଷ କିନ୍ତୁ ଚୀନ ଉପରେ ଲଗାଯାଇଥିବା ଅଭିଯୋଗକୁ ନିନ୍ଦା କରିଛି ।